ଅନନ୍ତ ସ୍ୱର

ଘାତ ପ୍ରତିଘାତ ଆଘାତ କୁ ସହି
ଆସିଛି ଏ ସ୍ୱର ଅନନ୍ତ ରୁ ବହି,
ସ୍ଥିର ଆବରଣେ ଅସ୍ଥିର ସ୍ୱର ଏ
ଗତି ତାର ଧୀର ବହେ ରହି ରହି।
ଆସିଛି ଏ ସ୍ୱର……….।।

ସମ୍ବାଦ ମୋ ସଂଗେ ବିବାଦ କରଇ
ଅସ୍ଥିର ଲହରୀ ମନେ ମୋ ଖେଳାଇ,
ସ୍ଥିରତା ଆଜି ମୋ ମନର କଳ୍ପନା
ନାଦ ନିରନ୍ତତା ଖୋଜି ପାଉନାହିଁ।
ଆସିଛି ଏ ସ୍ୱର……… ।।

ଖୋଜି ଖୋଜି କେବେ ହଜି ଯାଉଅଛି
ନିଜ ମଧ୍ୟେ ନିଜେ ମଜ୍ଜି ଯାଉଅଛି,
ଅନନ୍ତ ନାଦର ଅନାଦି ସ୍ୱର ରେ
ଅନ୍ତର ଆତ୍ମା ମୋ ଭିଜି ଯାଉଅଛି।
ଆସିଛି ଏ ସ୍ୱର……..।।

କେବେ ଜ୍ୟୋତି ହୋଇ ମତି ହରାଉଛି
ଘନ ଅନ୍ଧାରରେ ଆଲୁଅ ସାଜିଛି,
ରଙ୍ଗ,ରୂପ,ଗନ୍ଧ ନଥାଇ କିଛି ବି
ଐଶର୍ୟ ଭାବେ ଯାଉଅଛି ଗାଇ।
ଆସିଛି ଏ ସ୍ୱର………।।

୨୪/୦୮/୨୦୧୯

ମୁକୁନ୍ଦ ଦେବ

http://www.mukunddev.com

Leave a comment