ମୁକୁନ୍ଦ ଦେବ
ମୋ କବିତାରେ ମୋରି ବ୍ୟକ୍ତିତ୍ଵ
ଲାଗିପାରେ ଏହା କାହାକୁ କଟାକ୍ଷ!
ନିଜ ସଙ୍ଗେ ମୁଁ ନିଜେ କଥା ହୁଏ
ବାହାରୁ ଅନ୍ତରୁ ଏକତ୍ୱ ସହିତ।
ମୋ କବିତାରେ….
ମୋ କବିତାର ନାୟକ ମୁଁ ଥାଏ
କେବେ ଧ୍ୟାନେ କେବେ ମାନେ ଋଷିଯାଏ,
ଦୁଃଖର ଭାରଟି ଅଧିକ ହୋଇଲେ
ଗୀତି କବିତାର ସ୍ୱରେ ମୁଁ ଗୁଞ୍ଜିତ।
ମୋ କବିତାରେ…..
ଅଧ୍ୟାନରେ କେବେ ଅ-କର୍ମ ହୋଇଲେ
ଅଶବ୍ଦ ବାଣୀରେ ଅଧର କମ୍ପିଲେ,
ହୃଦ-ତନୁ-ତୀରେ ଧ୍ୟାନ-ଶବ୍ଦ-ନାଦେ
କଥା କହିଚାଲେ କଲମରେ ହସ୍ତ।
ମୋ କବିତାରେ….
ଅଭାବରେ ଥିଲେ ସ୍ଵଭାବକୁ ଲେଖେ
ଅଭାବର ମୂଳ ମଞ୍ଜିଟିକୁ ଦେଖେ,
ଭାବରୁ ଭବର ଅନୁଗତ ହୋଇ
କବିତା ଆକାରେ ଶବ୍ଦେ ମୁଁ ବିସ୍ତୃତ।
ମୋ କବିତାରେ….
ବ୍ୟକ୍ତି ବସ୍ତୁ ରେ ମୁଁ ଆଶକ୍ତ ହୋଇଲେ
ଏ ଦୁହେଁ ମୋ ଠାରୁ ଦୂର ହୋଇଗଲେ,
ବିରହ ଚିତ୍ତରେ ବେଦନା ଭାରରେ
ଲେଖି ଚାଲିଥାଏ ହୋଇ ଅନାଶକ୍ତ।
ମୋ କବିତାରେ….
କେବେ କିଏ ଗୁଣି-ଜ୍ଞାନୀ ଚାଲିଗଲେ
ଜୀବନ ଅମୃତ ପଦକୁ ଲୋଭିଲେ,
ମୃତ୍ୟୁର କରାଳ ଗର୍ଭର ଦୃଶ୍ୟରେ
ମୋ କବିତାରେ ମୁଁ ହୋଇଯାଏ ମୃତ।
ମୋ କବିତାରେ….
ଜନ୍ମ,ଜରା,ବ୍ୟାଧି,ମୃତ୍ୟୁ କାୟା-ଧର୍ମ
ନୀତି ରୀତି ଜାଣି କରିଚାଲେ କର୍ମ,
ପ୍ରତ୍ୟେକ ରାତ୍ରୀରେ ମୃତକ ସାଜି ମୁଁ
କୋମଳ କିରଣେ ପ୍ରଭାତେ ଜନ୍ମିତ।
ମୋ କବିତାରେ ମୋରି ବ୍ୟକ୍ତିତ୍ଵ…